Government policies & schemes

ସମବାୟ ବିଭାଗ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନା

ସମବାୟ ବିଭାଗ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନା

ଭୁବନେଶ୍ୱର: କୃଷକଙ୍କ ଆର୍ଥିକ ସଶକ୍ତିକରଣ ସହ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଲକ୍ଷ୍ୟରେ ସମବାୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରାଜ୍ୟର ପ୍ରାଥମିକ କୃଷି ସମବାୟ ସମିତି (PACS) ଓ LAMPsକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରି କୃଷକମାନଙ୍କୁ ଏହାର ସୁବିଧା ଯୋଗାଇବା ଉପରେ ବିଭାଗ ଗୁରୁତ୍ୱ ଦେଉଛି।

ଧାନ ସଂଗ୍ରହ ଓ ବିକ୍ରି ପ୍ରକ୍ରିୟାରେ PACSଗୁଡ଼ିକର ଭୂମିକାକୁ ଆହୁରି ମଜବୁତ କରାଯାଉଛି। ଚାଷୀଙ୍କ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହ MSP ଅନୁଯାୟୀ ଧାନ କ୍ରୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏଥିସହ କୃଷକମାନଙ୍କୁ ସମୟୋଚିତ ଭାବେ ଅର୍ଥ ପ୍ରଦାନ ଓ ବଜାର ସୁବିଧା ଯୋଗାଇବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି।

ସମବାୟ ସଂସ୍ଥାଗୁଡ଼ିକରେ ଡିଜିଟାଲ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି। National PACS Software ଓ NLPS ମାଧ୍ୟମରେ PACSଗୁଡ଼ିକର କାର୍ଯ୍ୟକୁ ଅଧିକ ସ୍ୱଚ୍ଛ, ସରଳ ଓ ଦ୍ରୁତ କରାଯାଉଛି। କୃଷକମାନେ ସ୍ଥାନୀୟ ସ୍ତରରେ ବିଭିନ୍ନ ସେବା ପାଇପାରିବେ, ସେଥିପାଇଁ PACSଗୁଡ଼ିକୁ ବହୁମୁଖୀ ସେବା କେନ୍ଦ୍ର ଭାବେ ବିକଶିତ କରାଯାଉଛି।

ଏହାସହ CSC ମାଧ୍ୟମରେ ଅନଲାଇନ୍ ସେବା, Consumer Store ମାଧ୍ୟମରେ ଆବଶ୍ୟକ ସାମଗ୍ରୀ ଯୋଗାଣ ଏବଂ ଗ୍ରାମାଞ୍ଚଳରେ ସମବାୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି।

ସମବାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି କୃଷକଙ୍କୁ ଋଣ, ବଜାର, ଧାନ ବିକ୍ରି ଓ ଅନ୍ୟାନ୍ୟ ସେବା ସହଜରେ ଯୋଗାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏହା ଫଳରେ କୃଷକଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତି ଆହୁରି ସଶକ୍ତ ହେବ ବୋଲି ଆଶା କରାଯାଉଛି।


Share: