ବଢ଼ିଲା ବାତ୍ୟା ଆଶଙ୍କା, ବଙ୍ଗୋପସାଗରରେ ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାକୁ ନେଇ ବଢ଼ିଛି ବାତ୍ୟା ଆଶଙ୍କା। ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ଆଗକୁ ଘନୀଭୂତ ହୋଇ ଶନିବାର ଅବପାତ ଏବଂ ୨୫ ତାରିଖରେ ଗଭୀର ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି।
ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିପାରେ। ବିଭିନ୍ନ ପାଣିପାଗ ମଡେଲର ଆକଳନରେ ଏହାର ସ୍ଥଳଭାଗ ପ୍ରବେଶ ସ୍ଥାନକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସୁଛି। କିଛି ଆକଳନ ଅନୁସାରେ କାକିନାଡା ନିକଟରେ, ଆଉ କିଛି ଅନୁସାରେ ଶ୍ରୀକାକୁଲମ-ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।
ଏହାର ପ୍ରଭାବରେ ୨୬ରୁ ୨୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୩ ତାରିଖ ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି।
