ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କ ଶପଥ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବ୍ରଜମୋହନ ରାମ। ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଶପଥ ଗ୍ରହଣ ସମାରୋହରେ ପ୍ରାୟ ୬୦୦ ଅତିଥି ଯୋଗ ଦେଇଥିବା ବେଳେ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ ଅତିଥି ଆସିଥିଲେ। ଶନିବାର ନବନିଯୁକ୍ତ ରାଜ୍ୟପାଳ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ଶପଥ ଗ୍ରହଣ ପୂର୍ବରୁ ବ୍ରଜମୋହନ ରାମ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା। ଦର୍ଶନ ପରେ ସେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିବା କହିଥିଲେ। ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ।
