ୟୁପିଆଇ କାରବାର ଉପରେ ଲାଗିପାରେ ଶୁଳ୍କ, ଜାନୁଆରୀକୁ ଘୁଞ୍ଚିପାରେ ନୂଆ ନିୟମ
ଡିଜିଟାଲ୍ ପେମେଣ୍ଟ କରୁଥିବା ବ୍ୟବସାୟୀଙ୍କ ପାଇଁ ବଡ଼ ଖବର। ୟୁପିଆଇ କାରବାର ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଶୁଳ୍କ ଲାଗୁ କରିବା ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବାର ଥିବାବେଳେ, ଏହାକୁ ଆସନ୍ତା ଜାନୁଆରୀ ମାସକୁ ଘୁଞ୍ଚାଇବାର ସମ୍ଭାବନା ରହିଛି।
ରିପୋର୍ଟ ଅନୁଯାୟୀ, ନୂଆ ବ୍ୟବସ୍ଥାରେ ୟୁପିଆଇ ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପେମେଣ୍ଟ ଗ୍ରହଣ କରୁଥିବା କେତେକ ବ୍ୟବସାୟୀଙ୍କ ଉପରେ କାରବାର ମୂଲ୍ୟର ୦.୪ ପ୍ରତିଶତ ଶୁଳ୍କ ଲାଗୁ ହୋଇପାରେ।
ତେବେ ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନୀଗୁଡ଼ିକୁ ନିଜର ବୈଷୟିକ ବ୍ୟବସ୍ଥା ଅପଗ୍ରେଡ୍ କରିବା ପାଇଁ ଅଧିକ ସମୟ ଆବଶ୍ୟକ ହେଉଥିବାରୁ ନିୟମ ଲାଗୁ କରିବାର ତାରିଖ ଘୁଞ୍ଚିପାରେ। ଏହାଦ୍ୱାରା ନୂଆ ବ୍ୟବସ୍ଥାକୁ ସୁରୁଖୁରୁରେ ଲାଗୁ କରିବା ସହଜ ହେବ।
ଅନ୍ୟପକ୍ଷରେ, ଏହି ନିୟମର ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିବାର ସମ୍ଭାବନା ନାହିଁ। କାରଣ ଏମଡିଆର ଶୁଳ୍କ ମୁଖ୍ୟତଃ ବ୍ୟବସାୟୀଙ୍କ ସହ ଜଡ଼ିତ। ତେବେ ନିୟମର ଚୂଡ଼ାନ୍ତ ବିବରଣୀ ଓ ଲାଗୁ ହେବାର ତାରିଖ ନେଇ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।
