ରାଜ୍ୟର ଐତିହ୍ୟ ଓ ସଂସ୍କୃତିର ସ୍ମାରକୀ ବହନ କରୁଥିବା ପୁରାତନ ମନ୍ଦିର
ରାଜ୍ୟର ଐତିହ୍ୟ ଓ ସଂସ୍କୃତିର ସ୍ମାରକୀ ବହନ କରୁଥିବା ପୁରାତନ ମନ୍ଦିର ଓ କୀର୍ତ୍ତିରାଜିର ସୁରକ୍ଷା ଏବଂ ବିକାଶକୁ ନେଇ ବିଭିନ୍ନ ସମୟରେ ଆଲୋଚନା ଓ ସମାଲୋଚନା ହୋଇଆସିଛି। ଏହି କ୍ଷେତ୍ରରେ ସରକାର ଗୁରୁତ୍ୱ ଦେଉଥିବା ନେଇ ମଧ୍ୟ କୁହାଯାଉଛି। ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୩ ହଜାରରୁ ଅଧିକ ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ ରଖୁଥିବା ମନ୍ଦିର ଓ ସ୍ମାରକୀ ମଧ୍ୟରୁ ମାତ୍ର ୨୯୪ଟିକୁ କେନ୍ଦ୍ର ଓ ରାଜ୍ୟ ସରକାର ସଂରକ୍ଷିତ କୀର୍ତ୍ତିରାଜି ଭାବେ ଘୋଷଣା କରିଛନ୍ତି।
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି।
ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟରେ ପୁରାତନ ମନ୍ଦିରର ପୁନରୁଦ୍ଧାର ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୩ ହଜାରରୁ ଅଧିକ ମନ୍ଦିର ଓ ସ୍ମାରକୀ ରହିଛି। ସେଥିମଧ୍ୟରୁ ୨୧୨ଟି ପ୍ରାଚୀନ କୀର୍ତ୍ତିରାଜିକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତିରାଜି ଏବଂ ୮୨ଟିକୁ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜି ଭାବେ ଘୋଷଣା କରାଯାଇଛି।
ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଅଧୀନସ୍ଥ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଚଳିତ ଆର୍ଥିକ ବର୍ଷରେ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ୭ କୋଟି ଟଙ୍କା ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ କୀର୍ତ୍ତିରାଜି ପାଇଁ ୧୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ପୂର୍ବ ଆର୍ଥିକ ବର୍ଷରେ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ୫ କୋଟି ଟଙ୍କା ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ କୀର୍ତ୍ତିରାଜି ପାଇଁ ୧୦.୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ, ମଞ୍ଜୁର ହୋଇଥିବା ଅର୍ଥ ସଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ ବୋଲି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି।
