Cultural events & festivals

ଧରାପୃଷ୍ଠରୁ ଆଜି ବିଦାୟ ନେବେ ଦେବୀ ଦୁର୍ଗା : ଭସାଣି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଧରାପୃଷ୍ଠରୁ ଆଜି ବିଦାୟ ନେବେ ଦେବୀ ଦୁର୍ଗା   : ଭସାଣି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା।ଶେଷ ହୋଇଛି ଜଗତଜନନୀ ମା’ ଦୁର୍ଗାଙ୍କ ନବଦିନାତ୍ମକ ପୂଜା। ଏଥିପାଇଁ ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଭସାଣି ଶୋଭାଯାତ୍ରା ଓ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନଦୀ ଘାଟରେ ମୂର୍ତ୍ତି ବିସର୍ଜନକୁ ସୁରକ୍ଷିତ କରିବା ପାଇଁ ଅସ୍ଥାୟୀ ପୋଖରୀ ମଧ୍ୟ ନିର୍ମାଣ କରାଯାଇଛି।

ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ଓ ମୂର୍ତ୍ତି ବିସର୍ଜନକୁ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ କରିବା ପାଇଁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କେନ୍ଦ୍ରାଞ୍ଚଳ ଆଇଜିପି ଡ. ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଓ ଜଗତସିଂହପୁର—ଏହି ୭ଟି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ୭ଟି ଜିଲ୍ଲାରେ ମୋଟ ୧ ହଜାର ୩୮୯ଟି ପୂଜା ମଣ୍ଡପ ପାଇଁ ୫୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ବିସର୍ଜନ ଘାଟଗୁଡ଼ିକରେ ସ୍ୱତନ୍ତ୍ର ପୋଲିସ ନଜର ରହିବ।

ଚଳିତବର୍ଷ ଭସାଣି ଶୋଭାଯାତ୍ରାରେ ଡିଜେ ସଙ୍ଗୀତ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। କେବଳ ଢୋଲ ଓ ପାରମ୍ପରିକ ବାଦ୍ୟ ବ୍ୟବହାରକୁ ଅନୁମତି ଦିଆଯାଇଛି। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ସୋସିଆଲ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ଉପରେ ମଧ୍ୟ ପୋଲିସର ନଜର ରହିଛି।

କଟକ ସହରରେ ମଧ୍ୟ ଭସାଣି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଦେବୀଗଡ଼ାରେ କଟକ ମହାନଗର ନିଗମ ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ସହରରେ ୬୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବ। ହାୱଡ଼ା ମଟର ଛକରୁ ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ରହିବ। ପ୍ରତ୍ୟେକ ଚାନ୍ଦି ମେଢ଼ରେ ୪ ଜଣ ବନ୍ଧୁକଧାରୀ ପୋଲିସ ନିୟୋଜିତ ରହିବେ।

ଆଇଜିପି ଜନସାଧାରଣଙ୍କୁ ଗୁଜବ ନଖେଳାଇବା ସହ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖି ଭସାଣି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ୧୧୨ ମାଧ୍ୟମରେ ପୋଲିସ ସହ ଯୋଗାଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି।


Share: