ଆଜି ପବିତ୍ର ରାଧା ଅଷ୍ଟମୀ
ଆଜି ପବିତ୍ର ରାଧା ଅଷ୍ଟମୀ ହେଉଛି ରାଧାରାଣୀଙ୍କୁ ସମର୍ପିତ ଏକ ପବିତ୍ର ହିନ୍ଦୁ ପର୍ବ । ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ, ଭାଦ୍ରବ ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ରାଧାରାଣୀଙ୍କ ଜନ୍ମ ହୋଇଥିଲା । ଏହି କାରଣରୁ ପ୍ରତିବର୍ଷ ଏହି ଦିନକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଏ ।
ଶ୍ରୀକୃଷ୍ଣଙ୍କ ଭକ୍ତି ପରମ୍ପରାରେ ରାଧାରାଣୀଙ୍କ ସ୍ଥାନ ଅତ୍ୟନ୍ତ ବିଶେଷ । ହିନ୍ଦୁ ଧର୍ମରେ ରାଧା ଅଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି। ରାଧାରାଣୀଙ୍କୁ ପ୍ରେମ, ଭକ୍ତି ଓ ସମର୍ପଣର ପ୍ରତୀକ ବୋଲି ମାନାଯାଏ। ରାଧାରାଣୀଙ୍କ ସ୍ମରଣ ଓ ପୂଜା ବିନା ଶ୍ରୀକୃଷ୍ଣଙ୍କ ଆରାଧନା ଅଧୂରା । ତେଣୁ ଏହି ଦିନ ସାରା ଦେଶର ବିଭିନ୍ନ ରାଧା-କୃଷ୍ଣ ମନ୍ଦିରରେ ରାଧା-କୃଷ୍ଣଙ୍କୁ ଏକାଠି ପୂଜା କରିବା ପାଇଁ ଆଜି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବ ।
ଏହି ଦିନ ଉପବାସ, ପୂଜା, କୀର୍ତ୍ତନ ଓ ଭଜନ କରି ଭକ୍ତମାନେ ରାଧା-କୃଷ୍ଣଙ୍କ ଆଶୀର୍ବାଦ କାମନା କରନ୍ତି। ମନ୍ଦିରଗୁଡ଼ିକୁ ଫୁଲ ଓ ଆଲୋକରେ ସଜାଯାଇଥାଏ। ରାଧା-କୃଷ୍ଣଙ୍କ ବିଶେଷ ଶୃଙ୍ଗାର ଏବଂ ମହାଆରତି ଆୟୋଜନ କରାଯାଏ। ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ ଏହି ଦିନ ଭକ୍ତିଭାବରେ ପୂଜା କଲେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ ହୋଇଥାଏ।
