ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ସମର୍ପିତ ପବିତ୍ର ପୂଜା ହେଉଛି ବିଶ୍ୱକର୍ମା ପୂଜା
ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ସମର୍ପିତ ପବିତ୍ର ପୂଜା ହେଉଛି ବିଶ୍ୱକର୍ମା ପୂଜା। ନିର୍ମାଣ, ଶିଳ୍ପ, ଯନ୍ତ୍ରପାତି ଓ କାରିଗରୀ କାମ ସହ ଜଡ଼ିତ ଲୋକମାନେ ଏହି ଦିନ ବିଶେଷ ଭାବେ ବିଶ୍ୱକର୍ମାଙ୍କୁ ପୂଜା କରିଥାନ୍ତି।
ପୌରାଣିକ ବିଶ୍ୱାସ ଅନୁସାରେ, ଭଗବାନ ବିଶ୍ୱକର୍ମା ଥିଲେ ଦେବତାମାନଙ୍କର ଦିବ୍ୟ ସ୍ଥପତି ଓ ଶିଳ୍ପୀ। ଦେବଲୋକର ଅନେକ ଭବ୍ୟ ନିର୍ମାଣ ସହ ଇନ୍ଦ୍ରଙ୍କ ବଜ୍ର, ବିଭିନ୍ନ ଦିବ୍ୟ ଅସ୍ତ୍ର ଓ ମହଲ ନିର୍ମାଣ ସହ ତାଙ୍କ ନାମ ଜଡ଼ିତ ଥିବା ପୌରାଣିକ କଥାରେ ଉଲ୍ଲେଖ ମିଳେ।କୁହାଯାଏ, ଲଙ୍କା ନଗରୀ ଏବଂ ଦ୍ୱାରକା ନଗରୀର ନିର୍ମାଣ ସହ ମଧ୍ୟ ବିଶ୍ୱକର୍ମାଙ୍କ ନାମ ଜଡ଼ିତ। ତେଣୁ ତାଙ୍କୁ ନିର୍ମାଣ ଓ କାରିଗରୀ କୌଶଳର ଦେବତା ଭାବେ ମାନ୍ୟତା ଦିଆଯାଏ।
ବିଶ୍ୱକର୍ମା ପୂଜା ଅବସରରେ କାରଖାନା, ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍, ଦୋକାନ ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଯନ୍ତ୍ରପାତି ଓ ଉପକରଣଗୁଡ଼ିକର ପୂଜା କରାଯାଏ।ବିଶ୍ୱାସ ରହିଛି, ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ କାର୍ଯ୍ୟରେ ସଫଳତା, ଦକ୍ଷତା ଓ ସମୃଦ୍ଧି ମିଳିଥାଏ। ସେଥିପାଇଁ ପ୍ରତିବର୍ଷ ବିଶ୍ୱକର୍ମା ପୂଜା ଦିନ ଶ୍ରଦ୍ଧା ଓ ଭକ୍ତିର ସହ ଦେବଶିଳ୍ପୀଙ୍କୁ ପୂଜା କରିଥାନ୍ତି ଲୋକେ।
