ପ୍ରକୃତିର ସୁନ୍ଦର ଉପହାର କାଶତଣ୍ଡୀ
ଶରତ ଋତୁର ଆଗମନ ସହ ପ୍ରକୃତି ସାଜିଉଠିଛି ନୂଆ ରୂପରେ। ବିଲବାଡ଼ିଠାରୁ ନଦୀପଠା ପର୍ଯ୍ୟନ୍ତ ସବୁଠି ଦୋଲାୟମାନ ଧଳା କାଶତଣ୍ଡୀ। ଏହି କାଶଫୁଲ କେବଳ ଶରତର ସୌନ୍ଦର୍ଯ୍ୟକୁ ବଢ଼ାଏ ନାହିଁ, ବରଂ ଅନେକ ଗରିବ ପରିବାର ପାଇଁ ଜୀବନ ଜୀବିକାର ଆଶା ମଧ୍ୟ ପାଲଟିଛି। ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ..
ବର୍ଷା ବିଦାୟ ନେଇଛି... ଆକାଶ ହୋଇଛି ନିର୍ମଳ... ଆଉ ମାନ୍ଦା ଶୀତଳ ପବନରେ ଦୋଲି ଉଠୁଛି ଧଳା କାଶତଣ୍ଡୀ। ବିଲବାଡ଼ି, ନଦୀପଠା ଓ ରାସ୍ତାକଡ଼ରେ କାଶଫୁଲର ଶୁଭ୍ର ସମାରୋହ ଦେଖିଲେ ଲାଗେ ସତେ ଯେପରି ଧରଣୀ ମାତା ଧଳା ବସ୍ତ୍ର ପରିଧାନ କରିଛନ୍ତି। ଶରତ ଋତୁର ଏହି ଅପୂର୍ବ ଦୃଶ୍ୟ ମା' ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେବା ସହ ପ୍ରକୃତିକୁ କରିଦେଇଛି ଆହୁରି ମନୋରମ। ତେବେ କାଶତଣ୍ଡୀ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ। ଅନେକ ଗରିବ ପରିବାର ପାଇଁ ଏହା ହେଉଛି ରୋଜଗାରର ଏକ ଭରସା। ଚାଷକାମ ସରିବା ପରେ ଗ୍ରାମାଞ୍ଚଳର ମହିଳାମାନେ କାଶତଣ୍ଡୀ ସଂଗ୍ରହ କରନ୍ତି। ଏହାକୁ ଖରାରେ ଭଲଭାବେ ଶୁଖାଇ ଝାଡୁ, ଚୁରିଆ, ଧଏର ଓ ମଶିଣା ପ୍ରସ୍ତୁତ କରାଯାଏ। ଏହି କାମରେ ପରିବାରର ମହିଳା ଓ ପୁରୁଷ ସମସ୍ତେ ସାମିଲ ହୁଅନ୍ତି। ବାଢୁନ ଖର' ନାମରେ ପରିଚିତ ଏହି ଉଦ୍ଭିଦରୁ ପ୍ରସ୍ତୁତ ଝାଡୁର ଚାହିଦା ଗ୍ରାମାଞ୍ଚଳରେ ବେଶ୍ ଅଧିକ। ଏହାର ବିକ୍ରିରୁ ମିଳୁଥିବା ଆୟ ଅନେକ ପରିବାରର ଦୈନନ୍ଦିନ ଖର୍ଚ୍ଚ ବହନ କରିବାରେ ସହାୟକ ହେଉଛି। ତେଣୁ କାଶତଣ୍ଡୀ ପ୍ରକୃତିର ସୌନ୍ଦର୍ଯ୍ୟ ସହ ଗ୍ରାମୀଣ ଅର୍ଥନୀତିର ମଧ୍ୟ ଏକ ଅଂଶ ପାଲଟିଛି।
ଶୀତଳ ପବନରେ ଯେତେବେଳେ ଧଳା କାଶତଣ୍ଡୀ ଦୋଲାୟମାନ ହୁଏ, ସେତେବେଳେ ତାହା କେବଳ ଆଖିକୁ ଶାନ୍ତି ଦେଇନଥାଏ, ବରଂ କବି, ସାହିତ୍ୟିକ ଓ ପ୍ରକୃତିପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଏ। ଶରତର ଆଗମନ, ଦେବୀପକ୍ଷର ଆଭାସ ଓ ଗ୍ରାମୀଣ ଜୀବନର ସଂଘର୍ଷ—ଏହି ସବୁର ଏକ ସୁନ୍ଦର ସମନ୍ୱୟ ହେଉଛି କାଶତଣ୍ଡୀ।
