Climate change & global initiatives

ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା

ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା

ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ–ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ସମୁଦ୍ର ପତ୍ତନର ପ୍ରାୟ ୭ ଦଶମିକ ୬ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟାରେ ଏହି ପାଣିପାଗ ବ୍ୟବସ୍ଥା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଯାଜପୁର, କଟକ, ଜଗତସିଂହପୁର, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ପ୍ରାୟ ସମସ୍ତ ଜିଲ୍ଲା ପାଇଁ ବଜ୍ରପାତ ସତର୍କତା ମଧ୍ୟ ଜାରି କରାଯାଇଛି।

ଆସନ୍ତାକାଲି ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପୁଣି ରେଡ୍ ଆଲର୍ଟ ଜାରି ରହିବ। ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

ସେପଟେ, ଅଗଷ୍ଟ ୩୧ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟ୍କା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ପାଣିପାଗ ବିଭାଗ ଭାରି ବର୍ଷାକୁ ଦୃଷ୍ଟିରେ ରଖି ଆକସ୍ମିକ ବନ୍ୟା, ସହରାଞ୍ଚଳରେ ଜଳବନ୍ଦୀ ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ପ୍ରକାଶ କରିଛି। ତେଣୁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୧୫୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ କେବଳ ଗଜପତି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ ହୋଇଛି।


Share: