ରାଜ୍ୟରେ ପୁଣି ଲଘୁଚାପ ଆଶଂଙ୍କା
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।
ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସମୁଦ୍ର ଅଶାନ୍ତ ରହିବାରୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
୨୬ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ୨୭-୨୮ ତାରିଖରେ ବର୍ଷାର ପରିମାଣ କମିବ, କିନ୍ତୁ ପଶ୍ଚିମ ସୀମାନ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାରେ ବର୍ଷାର ଅଭାବ ଜାରି ରହିବ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଅଗଷ୍ଟ ୨୯-୩୦ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ନୂଆ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପୁଣି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
