ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ
ପୁରୀ: ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ରତ୍ନଭଣ୍ଡାରର ଅଳଙ୍କାର ଗଣତି କରାଯିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ଦୁଇଟି ତାରିଖ ଚୟନ କରାଯାଇଛି। ଗଣତି ପ୍ରକ୍ରିୟା ସମୟରେ ଭକ୍ତମାନଙ୍କ ଦର୍ଶନ ଏବଂ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ନହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
SJTA ଅନୁଯାୟୀ, ଓଡ଼ିଶା ସରକାରଙ୍କ ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଅନୁସାରେ ସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟା ସମ୍ପନ୍ନ ହେବ। ଏଥିପାଇଁ ନିର୍ଦ୍ଧାରିତ ସମସ୍ତ ନିୟମ ଓ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଗଣତି କାର୍ଯ୍ୟ ସମାପ୍ତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛି।
