ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଉତ୍ତର ଦ୍ୱାର ଗୁମୁଟରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ ଓ ରେଲିଂ ନିର୍ମାଣ ଇତିମଧ୍ୟରେ ସରିଛି। ଏହାଦ୍ୱାରା ଚାଲିବାରେ ସମସ୍ୟା ଥିବା ଭକ୍ତମାନେ ଅଧିକ ସହଜରେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରିବେ।
ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ପାଇଁ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସେମାନେ ଭକ୍ତଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟତା କରିବେ।
ଏହି ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନ୍ ଓ ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଉଛି। ପରୀକ୍ଷାମୂଳକ ଭାବେ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ। ଆବଶ୍ୟକ ସ୍ୱେଚ୍ଛାସେବୀ ଯୋଗାଇବା ପାଇଁ ଜିଲ୍ଲା ରେଡକ୍ରସ୍ ସୋସାଇଟି ସହ ଯୋଗାଯୋଗ କରାଯାଇଛି।
ଭକ୍ତମାନଙ୍କୁ ସୁରୁଖୁରୁରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରାଇବା ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକତା ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।
