Climate change & global initiatives

ଦେବଗଡ଼ ଚଡେଇମରା ଅଞ୍ଚଳରେ ଅନୁଭୂତ ହେଲା ମୃଦୁ କମ୍ପନ

ଦେବଗଡ଼ ଚଡେଇମରା ଅଞ୍ଚଳରେ  ଅନୁଭୂତ ହେଲା ମୃଦୁ କମ୍ପନ

ଦେବଗଡ଼ ଜିଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିଆମାଳ ବ୍ଲକ୍‌ ଅନ୍ତର୍ଗତ ଚଡେଇମରା ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଲୋକେ ଏହି କମ୍ପନ ଅନୁଭବ କରିଥିବା ଜଣାପଡ଼ିଛି।

ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍‌ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ କରାଯାଇଛି। ଭୂପୃଷ୍ଠଠାରୁ ପ୍ରାୟ ୨୦ କିଲୋମିଟର ତଳେ ଏହାର ଉତ୍ପତ୍ତିସ୍ଥଳ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଭୂକମ୍ପର ଅକ୍ଷାଂଶ ୨୧.୧୭୯ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୮୪.୭୭୪ ଡିଗ୍ରୀ ପୂର୍ବରେ ରହିଥିଲା। ଦେବଗଡ଼ ଜିଲା ଜରୁରୀକାଳୀନ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଦେବଗଡ଼ ବ୍ୟତୀତ ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ ସମ୍ବଲପୁର ଜିଲାର କେତେକ ଅଞ୍ଚଳରେ ମଧ୍ୟ ଲୋକମାନେ ହାଲୁକା ଭୂକମ୍ପନ ଅନୁଭବ କରିଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।

ତେବେ ଏହି ଭୂକମ୍ପରେ କୌଣସି ପ୍ରକାର ଧନଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ମିଳିନାହିଁ।


Share: